ଅନୁଗୋଳ ସହରରେ ପାନୀୟ ଜଳ ସଙ୍କଟ ଦୂରିକରଣ ଓ ଜଳଛତ୍ର ନିର୍ମାଣ ନେଇ ଜିଲ୍ଲାର ସାମ୍ବାଦିକ ମାନଙ୍କ ତରଫରୁ ପୌରାଧ୍ୟକ୍ଷ ଓ କାର୍ଯ୍ଯ ନିର୍ବାହ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଅଛି ।ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଏହା ଆମର ଦାୟିତ୍ବ ଓ ଏ ସମସ୍ଯାର ସମାଧାନ ନିଶ୍ଚିତ ଭାବରେ କରାଯିବ ବୋଲିି ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ଗ୍ରୀଷ୍ମ ଋତୁରେ ଅନୁଗୋଳ ଜିଲ୍ଲାର ତାପମାତ୍ରା ସର୍ବୋଚ୍ଚ ୫୦ ଡିଗ୍ରୀ ଛୁଇଁଥାଏ । ଯାହା ଫଳରେ ଗ୍ରୀଷ୍ମ ପ୍ରବାହ କାରଣରୁ ଜଳାଭାବ ଦେଖା ଦେଇଥାଏ ।ସହର ମଧ୍ୟରେ ଅନେକ ଗୁଡ଼ିଏ ନଳକୂପ ରହିଥିବା ବେଳେ କିଛି କାର୍ଯ୍ୟକ୍ଷମ ରହିଛି ତ ଅନେକ ଗୁଡ଼ିଏ ଅଚଳ ଅବସ୍ଥାରେ । ଏଣୁ ସମସ୍ତ ନଳକୂପ ଗୁଡ଼ିକ ମରାମତି କରିବାର ଆବଶ୍ୟକତା ରହିଥିବା ବେଳେ ସହର ମଧ୍ୟରେ ଜଳ ଯୋଗାଣ କରୁଥିବା କୂପ ଓ ପାଣି ଟାଙ୍କି ଗୁଡିକର ଉନ୍ନତ ପରିମଳ ବ୍ୟବସ୍ଥା ଅତ୍ୟାବଶ୍ୟକ ରହିଛି । ଏଥି ସହିତ ସହର ମଧ୍ୟରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଓ ଶୁଦ୍ଧ ଜଳ ଯୋଗାଣ ପିଇବା ବନ୍ଦୋବସ୍ତ କରିବା ପାଇଁ ସାମ୍ବାଦିକ ଭାଇ ମାନେ ଦାବି ଜଣାଇଥିଲେ। ସେହିପରି ବିଭିନ୍ନ ସରକାରୀ, ବେସରକାରୀ ଓ ଅତ୍ୟାବଶ୍ୟକ କାର୍ଯ୍ଯରେ ଆସୁଥିବ ଆଗନ୍ତୁକ ତଥା ଯାତ୍ରୀମାନଙ୍କ ପାଇଁ ସହର ବିଭିନ୍ନ ସ୍ଥାନରେ ଜଳଛତ୍ର ମାନ ଖୋଲାଯାଇ ପାନୀୟ ଜଳ ବନ୍ଦୋବସ୍ତ କରାଯାଉ । ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତର ଭୟ ରହିଛି । ଏଣୁ କିଛି କିଛି ସ୍ଥାନରେ ନଡ଼ା ବା ପତ୍ର ଛାଉଣି କରାଗଲେ ଯାତ୍ରୀମାନଙ୍କ ବିଶ୍ରାମ କରିବାରେ ସୁବିଧା ହେବ ଓ ଅଂଶୁଘାତରୁ ରକ୍ଷା ମିଳିବ । ଏଥିସହିତ ନୀରିହ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ କିଛି କିଛି ଯାଗାରେ ପାଣି କୁଣ୍ଡ ରଖାଯାଇ ଦୈନିକ ପାଣି ରଖିବାର ବନ୍ଦୋବସ୍ତ କରାଯାଉ ବୋଲି ଦାବି କରିଥିଲେ । ବହୁତ ଶୀଘ୍ର ଏ ସମସ୍ୟା ସମାଧାନ କରାଯିବ ବୋଲି ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ କହିଛନ୍ତି।
