ରୋଗୀ ନେଇ ଆସି ଡ୍ରାଇଭର ନିଜେ ହୋଇ ଗଲେ ରୋଗୀ
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ବୋଲେରୋ ଗାଡ଼ି ଚାଲକ ରୋଗୀ ନେଇ ଆସି ନିଜେ ରୋଗୀ ହୋଇଯାଇଛିନ୍ତି। ସୂଚନା ଯେ, ଆଜି ଅନୁଗୋଳ ସହରରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ସେହି ସମୟରେ ନିଶା ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗ୍ରାମର ଦୀପୁ ପ୍ରଧାନ (୨୭) ଏକ ବୋଲେରୋ ଗାଡ଼ି ରେ ଦମ୍ପତିଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଖାନା ରେ ଦମ୍ପତିଙ୍କୁ ଛାଡି ଆଇପିଡି ପାଖରେ ଥିବା ଗାଡ଼ି ପାର୍କିଂ ରେ ଗାଡ଼ି ରଖି ଆସୁଥିବା ବେଳେ ହଠାତ୍ ପବନ ହେବାରୁ ଆଇପିଡି ପାଞ୍ଚ ମହଲା ବିଲ୍ଡିଂ ଉପରୁ ଏକ ବିରାଟ କାଚ ଫ୍ରେମ୍ ଦୀପୁ ଙ୍କ ଉପରେ ପଡ଼ିଯାଇଥିଲା ଯାହାଫଳରେ ସେଠାରେ ଗୁରୁତର ହୋଇ ପଡିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ତାଙ୍କର ମୁଣ୍ଡ , ଦୁଇ ହାତ, ପିଠି ରେ କାଚ ପସି ଯିବାରୁ ଗଭୀର ଆଘାତ ଲାଗିଥିବା ଜଣାପଡିଛି।
