ଅନୁଗୋଳ ବ୍ଲକ ବନ୍ତଳା ପଞ୍ଚାୟତ ସାହାରାଗୋଡ଼ା ଗାଁରେ ପ୍ରଭୁ ରାଧାକୃଷ୍ଣଙ୍କ ମେଳଣ ଯାତ୍ରା ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଛି। ଗାଁ ଯାତ୍ରାପଡ଼ିଆ ଅସ୍ଥାୟୀ ମଣ୍ଡପରେ ଦିନ ୧ଟାବେଳେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ରାତି ୮ଟାବେଳେ ରାଧାକୃଷ୍ଣଙ୍କ ବିଗ୍ରହଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ ଧ୍ବନି, ବାଦ୍ୟନାଦ, ଆତସବାଜି, ଲଉଡ଼ି ଖେଳ, ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମେଳଣ ପଡ଼ିଆକୁ ନିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଲେଇପାଳ ଓ ମର୍ଦ୍ଦରାଜପୁର ମଧ୍ୟରେ ବାଦଦଣ୍ଡ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ସେହିପରି ମେଳଣ ପଡ଼ିଆରେ ଭଳି କି ଭଳି ଦୋକାନ ଖୋଲିଥିଲା।

ଚଳିତ ବର୍ଷ ୮ଟି ଗାଁରୁ ଠାକୁର ବିମାନରେ ଆସି ମେଳଣ ପଡ଼ିଆରେ ପହଞ୍ଚିଥିଲେ। ଧନୁର୍ଜୟପୁର, ଲୋକନାଥପୁର, ଶଙ୍ଖପୁର, କୁମୁରିସିଂହା, ବନ୍ତଳା ବଜାର, ଲାଛବନ୍ଧ, ସାହାରାଗୋଡ଼ା, ଗୋପାଳପୁର ପ୍ରଭୃତି ଗାଁର ଠାକୁର ମେଳଣରେ ଯୋଗ ଦେଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବନ୍ତଳା ଥାନା ପକ୍ଷରୁ ପୋଲିସ ମୁତୟନ ହୋଇଥିଲେ ।
