• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଉଦ୍ଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ

Bymamatanews

May 15, 2025
Spread the love

ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ – ଧର୍ମେନ୍ଦ୍ର ପ୍ରଧାନ

• ଆଠମଲ୍ଲିକରେ ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ ହେବ
• କିଶୋରନଗର ବ୍ଲକ ଓସକାପାଲ୍ଲି-କରମଲକଟା ରାସ୍ତାରେ କରମଲକଟା ନାଳ ଉପରେ ସେଉଳ ସେତୁ, ହଣ୍ଡପା-ପଟାପଥର ଭାୟା ବିଲେଇନାଳୀ ରାସ୍ତା, ବାମୁର-ଧଉରାପାଲି-ମାଧପୁର ରାସ୍ତା, ର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଧଉରାପାଲିର ନୂଆ ଛାତ୍ରୀ ନିବାସର ଉଦ୍ଘାଟନ
• ବାମୁର ଠାରୁ ଧଉରାପାଲି ଭାୟା ତାଳପଦର, ଜଇରାଟ ଓ ବାଲିଜେରେଙ୍ଗ ରାସ୍ତାର ଉନ୍ନତିକରଣ ଏବଂ ଘୋଷର ଠାରୁ ଅଙ୍ଗପଡ଼ା ଭାୟା କଡିଙ୍ଗବାହାଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
• ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଗୁରୁଜନ ଓ ବୁଦ୍ଧିଜୀବୀ ଓ ଯୁବସମାଜ ଦାବୀ କରି ଆସୁଥିଲେ
• ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ
• ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ଆମର ଲକ୍ଷ୍ୟ

ଆଠମଲ୍ଲିକ(୧୫/୦୫/୨୦୨୫ /) – ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି ବୋଲି ଏହାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଟାଙ୍ଗିଆନିଶା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଠାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ କରିବା ପାଇଁ ଗୁରୁଜନ, ବୁଦ୍ଧିଜୀବୀ ଏବଂ ଯୁବସମାଜର ଅପେକ୍ଷା ରହିଥିଲା । ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପ ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବ । ଏହି ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ବିଶେଷ ଉପକୃତ ହେବେ । ଏହାର ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ଡବଲ ଅଞ୍ଜିନ ସରକାରରେ ଆଠମଲ୍ଲିକରେ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ । ଘର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଯିବ । ଏଠାରେ ପର୍ଯ୍ୟଟନର ବିକାଶ କରାଯିବ ସହ ଚାଷୀମାନଙ୍କ ଜୀବନରେ ଉନ୍ନତି ଅଣାଯିବ । ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ସହଯୋଗୀ ହେବା । ଆଠମଲ୍ଲିକ ଅଞ୍ଚଳର ବିକାଶ ଆମ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର କିଶୋରନଗର ବ୍ଲକ ଓସକାପାଲ୍ଲି-କରମଲକଟା ରାସ୍ତାର ୩.୩୬୦ କିମି ଠାରେ କରମଲକଟା ନାଳ ଉପରେ ସେଉଳ ସେତୁ, ହଣ୍ଡପା-ପଟାପଥର ଭାୟା ବିଲେଇନାଳୀ ରାସ୍ତା, ବାମୁର-ଧଉରାପାଲି-ମାଧପୁର ରାସ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଧଉରାପାଲିର ନୂଆ ଛାତ୍ରୀ ନିବାସର ଉଦଘାଟନ କରିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କିଶୋରନଗର ବ୍ଲକର ବାମୁର ଠାରୁ ଧଉରାପାଲି ଭାୟା ତାଳପଦର, ଜଇରାଟ ଓ ବାଲିଜେରେଙ୍ଗ ରାସ୍ତାର ଉନ୍ନତିକରଣ ଏବଂ ଘୋଷର ଠାରୁ ଅଙ୍ଗପଡ଼ା ଭାୟା କଡିଙ୍ଗବାହାଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।


Leave a Reply

Your email address will not be published. Required fields are marked *