ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ବ୍ୟାପି ବନ୍ଦ ରହିବ ଅନୁଗୋଳ ଜିଲ୍ଲା
ଅନୁଗୋଳ ଜିଲ୍ଲା ନାଲକୋ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂଘ କାର୍ଯ୍ୟାଳୟରେ ଦଳିତ ଯୁବତୀ ସୁଭଦ୍ରାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଆମ୍ବେଦକରବାଦୀ ସଙ୍ଗଠନପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୨୬ ତାରିଖ ଦିନ କଣିହାଁ ନିଜ ଘରୁ ଦଳିତ ଯୁବତୀ ସୁଭଦ୍ରା ପଦିଲି ଭୁବନେଶ୍ଵର ଯାଉଥିବା ବେଳେ ତାଳଚେର ଷ୍ଟେସନରୁ ତାଳଚେର ରୋଡ଼କୁ ଆସିବା ସମୟରେ ଅପହରଣ, ଗଣଦୁଷ୍କର୍ମ, ହତ୍ୟାର ଶିକାର ହୋଇଥିଲେ । ଚଳିତ ମାସ ୪ ତାରିଖ ଦିନ ବଅଁରପାଳ ଥାନା ଭୋଗବେରିଣୀ ପଞ୍ଚାଯତ କେନ୍ଦୁପଲୀ ଗାଁ କେନାଲ ପାଖ ବିଲରୁ ଉକ୍ତ ଯୁବତୀଙ୍କ ଅନ୍ଧଦଗ୍ଧ ଗଳିତ ମୃତଦେହ ଦେଖିବାକୁ ମିଳିଥିଲା । ପରେ ଅନୁଗୋଳ ଆରକ୍ଷୀ ଅକ୍ଷକ ରାହୁଲ ଜୈନ, ଏସଡ଼ିପିଓ ରମାକାନ୍ତ ମହାଳିକ, ବଅଁରପାଳ ଥାନା ଅଧିକାରୀ, ବଅଁରପାଳ ତହସିଲଦାର ସମେତ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ଉପସ୍ଥିତିରେ ପ୍ରାଥମିକ ତଦନ୍ତ ପରେ ଶବ ଉଦ୍ଧାର କରାଯାଇଥିଲା। ପରେ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଦଳିତ ସଙ୍ଗଠନପକ୍ଷରୁ ଅନୁଗୋଳ ଆରକ୍ଷୀ ଅକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁଭଦ୍ରାଙ୍କୁ ନ୍ୟାୟ ଓ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ନେଇ ଦାବିପତ୍ର, ନାରାବାଜୀ, ଆନ୍ଦୋଳନ, ବିକ୍ଷୋଭପ୍ରଦର୍ଶନ କରିଥିଲେ। ଅଦ୍ୟାବଧି ଅନୁଗୋଳ ଜିଲା ପ୍ରଶାସନ ଓ ପୁଲିସର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ଏ ନେଇ ଜନ ଅସନ୍ତୋଷ ବୁଦ୍ଧି ପାଇବାରେ ଲାଗିଛି। ଏନେଇ ବିଭିନ୍ନ ଆମ୍ବେଦକରବାଦୀ ସଙ୍ଗଠନଦ୍ୱାରା ଅନୁଷ୍ଠିତ ଆଲୋଚନାଚକ୍ରରେ ସୁଭଦ୍ରା ପଦିଲି ନ୍ୟାୟ ମଞ୍ଚ କମିଟିପକ୍ଷରୁ
ଆସନ୍ତା ୧୯ ତାରିଖ ଅନୁଗୋଳ ଜିଲା ବନ୍ଦ ପାଇଁ ବୈଠକରେ ନିଷ୍ପରି ନିଆଯାଇଥିଲା। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ବ୍ୟାପି ବନ୍ଦ ଡାକରା ପାଇଁ ଚେତାବନୀ ଦିଆଯାଇଛି। ଅନୁଗୋଳ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନର ଅଧ୍ଯକ୍ଷ ଶତ୍ରୁଘ୍ନ ନାଏକ ଓ ଉପସଭାପତି କୁମୁନ୍ଦଚନ୍ଦ୍ର ନାଏକଙ୍କ ନେତୃତ୍ବରେ ଉକ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
