ଗତ ବିଳମ୍ବିତ ରାତିରେ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ୨ଟି ଚୋରା ବନ୍ଧୁକ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହୁଲୁରସିଂହା ଗ୍ରାମର ପିଣ୍ଟୁ ଜେନା। ବଅଁରପାଳ ଥାନା ଇଲାକା ପଦରଭରଣିଆ ଗ୍ରାମର କିସାନ୍ ଓରଫ୍ ସୁବ୍ରତ ଭୂତିଆ ଓ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଇଲାକା ବ୍ରହ୍ମପୁର ଗ୍ରାମର କାଳୁ ଓରଫ୍ ରାଜେଶ ପ୍ରଧାନ । ମଙ୍ଗଳବାର ବିଳମ୍ବିତ ରାତିରେ ହୁଲୁରିସିଂହା ଅଞ୍ଚଳରେ ଜଣେ ଯୁବକ ବନ୍ଧୁକ ଧରି ବୁଲୁଥିବା
ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ତୁରନ୍ତ ଏକ ଟିମ୍ ଚଢ଼ାଉ କରିଥିଲା । ହୁଲୁରସିଂହା ଛକ ନିକଟରେ ଜଣେ ସନ୍ଦିଗ୍ଧ ଯୁବକ ପୋଲିସକୁ ଦେଖି ଦୌଡ଼ିବାକୁ ଲାଗିଥିଲା। ସମ୍ପୃକ୍ତ ଯୁବକ ପିଣ୍ଟୁ ଜେନା ଆମ୍ବେଦକର ନଗର ଆଡ଼କୁ ପଳାଇ ଯାଉଥିବା ବେଳେ ପୋଲିସ ମାଡ଼ି ବସିଥିଲା। ତା’ ଠାରୁ ଏକ ବନ୍ଧୁକ ଜବତ ହୋଇଥିଲା । ସେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲା। ପୋଲିସ ବନ୍ଧୁକକୁ ଜବତ କରିବା ସହିତ ତା’କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପିଣ୍ଟୁ ହୁଲୁରସିଂହାରେ ରହୁଥିବା ବେଳେ ତା’ର ପ୍ରକୃତ ଘର ଜରପଡ଼ା ଥାନା ଇଲାକା ତୁବେ ଗ୍ରାମରେ। ସେହିପରି ଟାଉନ୍ ଥାନା ପୋଲିସର ଏକ ଟିମ୍ ରାତି ପ୍ରାୟ ସାଢ଼େ ଗୋଟିଏ ବେଳକୁ ହାଟଛକ ଠାରେ ନାକା ତ୍ରୁଟି କରିଥିଲା । ଏହି ସମୟରେ ଅଭିଯୁକ୍ତ କିସାନ ସେହି ରାସ୍ତା ଦେଇ ଆସିଥିବା ବେଳେ ପୋଲିସର ସଦେହ ହେବାରୁ ତା’କୁ ଯାଞ୍ଚ କରିଥିଲା । ତା’ ଠାରୁ ଏକ ଛୁରୀ ମିଳିଥିଲା। ପଚରାଉଚୁରା ପରେ ସେ ରାସୋଳ ଥାନା ବ୍ରହ୍ମପୁର ଗାଁର କାଳୁକୁ ଦେଶୀ ବନ୍ଧୁକ ଦେଇ ଆସୁଥିବା କହିଥିଲା । ଫଳରେ ପୋଲିସ ବ୍ରହ୍ମପୁରରେ ଚଢ଼ାଉ କରି ଅଭିଯୁକ୍ତ କାଳୁକୁ ଗିରଫ କରିବା ସହିତ ତା’ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲା ।
