ରାଜ୍ୟରୁ ନିଖୋଜ ହୋଇଯାଇଥିବା ମହିଳା ଓ ଶିଶୁଙ୍କ ଉଦ୍ଧାର କରିବା ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଅପରେସନ ଅନ୍ଵେଷଣ ଆରମ୍ଭ କରାଯାଇଥିଲା। ଅନ୍ଵେଷଣରେ ଜିଲାର ୮ଟି ବ୍ଲକରୁ ନିଖୋଜ ଥିବା ୨୦୧ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲା ପୁଲିସ ପକ୍ଷରୁ ବିଗତ ୫ଦିନ ହେବ ଅପରେସନ ‘ଅନ୍ବେଷଣ’ କାର୍ଯ୍ୟକ୍ରମରେ ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜି ବାହାର କରିବା ପାଇଁ ବିଭିନ୍ନ ଥାନାରେ ହୋଇଥିବା ରିପୋର୍ଟକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ୨୦୧ ଜଣ ନିଖୋଜ ମହିଳା ଓ ଶିଶଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୭୩ ମହିଳା ଓ ୨୮ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।

ଉଦ୍ଧାର ମହିଳା ଓ ଶିଶୁଙ୍କ ମଧ୍ୟରୁ ଅନୁଗୋଳ ଥାନା ଅଞ୍ଚଳର ୨୩ ମହିଳା ଓ ୩ ଶିଶୁ , ସଦର ଥାନା ଅଞ୍ଚଳର ୬ ମହିଳା ଓ ୬ ଶିଶୁ, ନାଲକୋ ଥାନା ଅଞ୍ଚଳର ୧୧ ମହିଳା, ବଅଁରପାଳ ଥାନା ଅଞ୍ଚଳର୧୦ ମହିଳା ଓ ୩ ଶିଶୁ, ସମେତ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ଉଦ୍ଧାର ହୋଇଥିବା ମହିଳା, ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମେ ମାସରେ ଜିଲା ପୁଲିସ ପକ୍ଷରୁ ସପ୍ତାହେ ବ୍ୟାପୀ ନିଖୋଜ ଅଭିଯାନ ମାଧ୍ଯମରେ ୩୧୯ ଜଣ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।
