• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରମୂଖ ଶାସନ ସଚ଼ିବଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

Bymamatanews

Sep 25, 2025
Spread the love

ଢ଼େଙ୍କାନାଳ (୨୫. ୦୯.୨୦୨୫) – ଗତକାଲି ସଂଧ୍ୟାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ଢ଼େଙ୍କାନାଳ ଆକାଂକ୍ଷା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହଠାରେ ଆୟୋଜିତ ବୈଠକରେ ସେ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଦକ୍ଷତା ବିକାଶ ଓ ବିଭିନ୍ନ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଦୁର୍ଗମ ଅଂଚ଼ଳରେ ଗର୍ଭବତୀ ମହିଳାମାନେ ଯେପରି ସନ୍ତାନ ପ୍ରସବରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖିନ ନ ହୁଅନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ସହିତ ମା ଓ ଶିଶୁମାନଙ୍କର ପୁଷ୍ଟି ସାଧନ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ କହିଥିଲେ । କନ୍ୟା ସନ୍ତାନ ଜନ୍ମହାର ବୃଦ୍ଧି ନିମନ୍ତେ କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ଲିଙ୍ଗ ନିରୁପଣ କରୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ନିୟମିତ ଚ଼ଢ଼ାଉ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ । ସିଭିଲ ସୋସାଇଟି ଓ ଏନ.ଜି.ଓ.ମାନଙ୍କ ସହଯୋଗରେ କନ୍ୟା ଭୃଣ ହତ୍ୟା ରୋକିବା ଦିଗରେ ଜନସଚେତନତା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଗୁଣାତ୍ମକ ଶିକ୍ଷା ପ୍ରଦାନ ହିଁ ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ଅଧିକ ଧ୍ୟାନ ଦେବା ସହ ଅଧାରୁ ପାଠ ଛାଡ଼ିିଥିବା ପିଲାମାନଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବା ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିବାକୁ କହିଥିଲେ । କାର୍ଯ୍ୟରେ ଖିଲାପ କରୁଥିବା ଶିକ୍ଷକମାନଙ୍କୁ ଚ଼ିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଜିଲ୍ଲାରେ ପନିପରିବା ସହିତ ବିଭିନ୍ନ ଫଳ ଚାଷ ବୃଦ୍ଧି ପାଇଁ ଆଗ୍ରାଧିକାର ଦେବାକୁ କହିଥିଲେ ।ମୃର୍ତ୍ତିକା ସଂରକ୍ଷଣ ପାଇଁ କୃଷକ ମାନଙ୍କୁ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଣ, ପଶୁ ସମ୍ପଦର ବିକାଶ ଓ ସେମାନଙ୍କର ନିୟମିତ ଟୀକାକରଣ ପାଇଁ ପରାମର୍ଶ ଦେଇଥିଲେ । ସେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଗୃହ ଯୋଗାଣ, ଜଳାଶୟଗୁଡ଼ିକର ପୁନଃରୁଦ୍ଧାର, ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ଯୋଜନାକୁ ସଫଳତାର ସହିତ ସମାପନ କରି ନୀତି ଆୟୋଗର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ନିଷ୍ଠାବାନ ହୋଇ ଓ ଦୁର୍ନିତି କାର୍ଯ୍ୟଠାରୁ ଦୂରେଇ ରହି ସର୍ବଦା ସକାରତ୍ମକ ଚିନ୍ତାଧାରରେ କର୍ତ୍ତବ୍ୟ ସମ୍ପାଦନ କରି କର୍ମଠ ଅଧିକାରୀ ଭାବେ ସୁନାମ ଅର୍ଜନ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ପ୍ରମୂଖ ଶାସନ ସଚ଼ିବଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଆଇ.ଏ.ଏସ. (ପ୍ରୋବେସନ) ଭଗତ ସାମଲ କଲ୍ୟାଣ ରାଓ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସଂଜୟ ମହାପାତ୍ର ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *