ଗାଡ଼ି ଧକ୍କାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚ଼ସା
ଅନୁଗୋଳ ଜିଲା ବନ୍ତଳା ଥାନା ଅଧିନ ନନ୍ଦପୁର ଗାଁ ଛକ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୭ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ପ୍ରଥମେ ବନ୍ତଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର,ପରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଓ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଯୁବକ । ଗୁରୁତର ନନ୍ଦପୁର ପଞ୍ଚାୟତ ମଧୁପୁର ଗାଁର ସଞ୍ଜୟ ସିଂଙ୍କ ପୁଅ ସୁଜିତ ସିଂ (୨୭) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସୁଜିତଙ୍କ ଭାଇ ଗାଡି ସହ ସେହି ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କ ଗାଡି ଧକ୍କା ହୋଇଥିଲା ।

ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ, କାହାର କିଛି କ୍ଷତି ହୋଇନଥିଲା । ତେବେ ବଚ଼ସା ଅଧିକ ନବଢ଼ାଇ ନିଜ ଭିତରେ ସମାଧାନ କରିବା ପାଇଁ ସୁଜିତଙ୍କୁ ନନ୍ଦପୁର ଛକ ନିକଟକୁ ଆସିବାକୁ ଅପର ପକ୍ଷ କହିଥିଲେ । ତେଣୁ ସୁଜିତ ଓ ତାଙ୍କ ଭାଇ ନନ୍ଦପୁର ଛକ ପାଖରେ ପହଞ୍ଚି ଥିଲେ । କିନ୍ତୁ ଅନ୍ୟ ଗାଡି ଚାଳକ ସାଥୀରେ ୬ଜଣ ଦୁବୁର୍ତ୍ତିଙ୍କୁ ନେଇ ସେଠାରେ ପହଞ୍ଚି ଅତର୍କିତ ଭାବେ ସୁଜିତକୁ ଭୁଜାଲି ଓ ଚାପଡ଼ାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ସୁଜିତଙ୍କ ପେଟ, ପିଠି, ଡ଼ାହାଣ ହାତ ଓ ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇ ଗୁରୁତର ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ସୁଜିତଙ୍କ ଭାଇ ଓ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ସୁଜିତଙ୍କ ଭାଇ ଅଜିତ ସିଂ ସୋମବାର ବିଳମ୍ବିତ ରାତିରେ ବନ୍ତଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ ପିଣ୍ଟୁ ସାହୁ ,ରିତେନ୍ଦ୍ର ସାହୁଙ୍କ ସମେତ ଅନ୍ୟ ୫ଜଣ ତାଙ୍କ ଭାଇଙ୍କୁ ଭୁଜାଲି ଓ ଚାପଡ଼ାରେ ହାଣି ଦେଇଥିବା ଦର୍ଶାଇଥିଲେ । ଅଭିଯୋଗ ପାଇ ବନ୍ତଳା ପୋଲିସ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ସହ ମଙ୍ଗଳବାର ରିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବିଭୂତି ପ୍ରଧାନ ।
