ବାତ ବଡ଼ା କାମ ଛୋଟା : କହିବା କାହାକୁ ଶୁଣିବ କିଏ

ଅଭିଯୋଗ ଶୁଣିଲେନି ସାତକୋଶିଆ ବନ ବିଭାଗ
ସାତକୋଶିଆ ଅଭୟାରଣ୍ୟ ଭିତରେ ଘର। ଚାଷ ହେଉଛି ସେମାନଙ୍କର ମୁଖ୍ୟ ଜୀବିକା। ଚାଷରୁ ଯାହା ରୋଜଗାର କରନ୍ତି। ସେଥିରେ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ବନ୍ୟ ଜନ୍ତୁଙ୍କ ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଯାହା ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ବେଠି କରି ଗ୍ରାମର ପ୍ରତ୍ୟେକ ପରିବାରରୁ ଜଣେ ଚାଷଜମି ଓ ଗ୍ରାମ ଚାରିପଟରେ ସୋଲାର ବାଡ ଦେଉଛନ୍ତି। କୋଠଭୂଇଁ ପଞ୍ଚାୟତ ଲଇମୁଣ୍ଡା ଗ୍ରାମବାସୀ ମାନେ ନିଜେ ଟଙ୍କା ଖର୍ଚ୍ଚ କରି ବେଠି ଖଟି ସୋଲାର ବାଡ ଦେଉଛନ୍ତି।

ମିଳିଥିବା ଖବର ଅନୁସାରେ ସାତକୋଶିଆ ଅଭୟାରଣ୍ୟର କୋଠଭୂଇଁ ଓ ଟାଇଁସି ଗ୍ରାମ ପଞ୍ଚାୟତର ଲୋକ ସଂଖ୍ୟା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଥିବା ବେଳେ ଶତକଡା ପଞ୍ଚାନବେ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। କୋଠଭୂଇଁ ପଞ୍ଚାୟତ ଲଇମୁଣ୍ଡା ଗ୍ରାମରେ ଜନସଂଖ୍ୟା ପ୍ରାୟ ଅଢ଼େଇ ଶହ ଥିବା ବେଳେ ତିରିଶ ପରିବାର ବାସ କରୁଛନ୍ତି।ଉକ୍ତ ଅଞ୍ଚଳ ଲୋକମାନେ ଧାନ,କନ୍ଦମୂଳ, ବାଦାମ, ଆଳୁ, ଆମ୍ୱ, ମାଣ୍ଡିଆ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରନ୍ତି। ଚାଷୀ ମାନେ ଦୁଇ ପଇସା ରୋଜଗାର କରିବା ଆଶାରେ ଖୁସିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରନ୍ତି। କିନ୍ତୁ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବନ୍ୟଜନ୍ତୁ ଦୁଃଖର କାରଣ ହୋଇଥାନ୍ତି। ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଚାଷୀ ଯେଉଁ ହିସାବରେ ଲାଭ ପାଇବା କଥା ସେତିକି ନପାଇ ଖର୍ଚ୍ଚ କରିଥିବା ଟଙ୍କା ମଧ୍ଯ ନାହିଁ। ଯାହା ଫଳରେ ଚାଷୀ ମାନେ ନିରାଶ ହୁଅନ୍ତି। ତେଣୁ ପୂର୍ବରୁ ଥିବା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କୁ କୋଠଭୂଇଁ ପଞ୍ଚାୟତ ଲଇମୁଣ୍ଡା ଗ୍ରାମବାସୀ ଚାଷଜମି ଚତୁଃପାର୍ଶ୍ୱରେ ସୋଲାର ବାଡ ବ୍ୟବସ୍ଥା କରିବା ପାଇଁ ଅଭିଯୋଗ କରିଥିଲେ। କିନ୍ତୁ ବନ ଖଣ୍ଡ ଅଧିକାରୀ ବାରମ୍ବାର ଠକି ଚାଲିଲେ। ଶେଷରେ ନିରାଶ ହୋଇ ଗ୍ରାମବାସୀ ଚଳିତ ବର୍ଷ ପ୍ରତ୍ୟେକ ପରିବାର ପ୍ରତି ଦୁଇ ହଜାର ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ଯେତିକି ଟଙ୍କା ଆଦାୟ ହୋଇଛି ପ୍ରାୟ ତିନି କିଲୋମିଟର ମିଟର ସୋଲାର ବାଡ ଦେଇଛନ୍ତି। ଏତିକି କାମରେ ପ୍ରାୟ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଆହୁରି ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ସୋଲାର ବାଡ ଦେବା ପାଇଁ ଯୋଜନା କରିଛନ୍ତି। ଆଜକୁ ପ୍ରାୟ ଦଶଦିନ ହେବ ଗ୍ରାମର ଲୋକମାନେ ଏକାଠି ହୋଇ ଏହି କାମ କରୁଛନ୍ତି। ଏହି ସୋଲାର ବାଡ ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ହାତୀକୁ ଜଗିବା ପାଇଁ ମୁତୟନ କରିଥିବା ବେଳେ ସେମାନେ ଘରୁ ବାହାରକୁ ବାହାରୁ ନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। କେଉଁଠି ହାତୀ ମୃତ୍ୟୁ ହେଲେ ବନ ବିଭାଗ ତୁରନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିନ୍ତୁ ଲୋକଙ୍କୁ ଆକ୍ରମଣ କଲେ କିମ୍ବା ଚାଷ ଜମି ନଷ୍ଟ କଲେ ବନ ବିଭାଗକୁ ବାରମ୍ବାର ଖବର ଦେଲେ ମଧ୍ୟ ଆସୁ ନାହାନ୍ତି। ଫଳରେ ଲୋକମାନେ ଅସନ୍ତୁଷ୍ଟ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳ ଚାଷଜମି ସହିତ ଗ୍ରାମ ଚାରିପଟେ ବନ ବିଭାଗ ପକ୍ଷରୁ ସୋଲାର ବାଡ ଦେଲେ ସେମାନେ ଖୁସି ଅନୁଭବ କରିବେ ବୋଲି ଅଞ୍ଚଳର ଧୃବ ଚରଣ ବେହେରା, ଯୋଗେଶ୍ୱର ପ୍ରଧାନ, ଉମେଶ ପ୍ରଧାନ, କାଳନ୍ଦୀ ବେହେରା, ମାମୁଲି ପ୍ରଧାନ, ଅର୍ଜୁନ ପ୍ରଧାନ, ବିଜୟ ବେହେରା ପ୍ରକାଶ କରିଛନ୍ତି।
