ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ସରପଞ୍ଚ
ଅନୁଗୋଳ: ସରପଞ୍ଚଙ୍କ ଅଜାଣତରେ ଲେଟରପ୍ୟାଡ୍ ବ୍ୟବହାର କରି ନକଲି ଦସ୍ତଖତ ମାଧ୍ୟମରେ ବ୍ଲିଚିଂ ପାଉଡର ଉଠାଯାଇଥିବା ନେଇ ଅଭିଯୋଗ ହୋଇଛି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ-ସୀପାଳ ପଞ୍ଚାୟତର ସରପଞ୍ଚ ସୁନିତା ସେଠୀଙ୍କ ଲେଟରପ୍ୟାଡ୍ ଓ ଦସ୍ତଖତର ଅପବ୍ୟବହାର କରାଯାଇଥିବା ସେ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ, ସରପଞ୍ଚଙ୍କ ଅଜାଣତରେ ଜଣେ ବ୍ୟକ୍ତି ତାଙ୍କ ଲେଟରପ୍ୟାଡ୍ ବ୍ୟବହାର କରି ନକଲି ଦସ୍ତଖତରେ ଏକ ପତ୍ର ପ୍ରସ୍ତୁତ କରି ନାଲ୍କୋ ସିଆରସି କାର୍ଯ୍ୟାଳୟରେ ଦାଖଲ କରିଥିଲେ। ଏହି ପତ୍ର ଆଧାରରେ ନାଲ୍କୋ ସିଆରସି କାର୍ଯ୍ୟାଳୟରୁ ୨୫ ବସ୍ତା ବ୍ଲିଚିଂ ପାଉଡର ଉଠାଯାଇଥିବା ଅଭିଯୋଗ ହୋଇଛି।ଘଟଣା ସମ୍ପର୍କରେ ଜାଣିବା ପରେ ସରପଞ୍ଚ ଏହାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି। ଲେଟରପ୍ୟାଡ୍ ଓ ଦସ୍ତଖତର ଅପବ୍ୟବହାର କରି ବ୍ଲିଚିଂ ପାଉଡର ଉଠାଣ ଘଟଣାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି।
ତେବେ ଏହି ଅଭିଯୋଗର ସତ୍ୟତା ଓ ଘଟଣାରେ କିଏ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
