୧ ଲକ୍ଷ ୮ ହଜାର ଟଙ୍କା ଜୋରିମାନା ସହ ୧ ଅମାନିଆ ଚାଳକ ର ଲାଇସେନ୍ସ ବାତିଲ ପାଇଁ ସୁପାରିସ
ଅନୁଗୋଳ ଜିଲ୍ଲା ବଅଁରପାଳ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଦୀର୍ଘ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଭାରୀଯାନ ଜାମ୍ ଏବେ ଗୁରୁତ୍ତର ରୂପ ନେଇଛି। ନୂଆହତା ଓଭରବ୍ରିଜ୍ ଠାରୁ ତାଳଚେର ଓ ବାଇପାସ ଦେଇ ଅନୁଗୋଳ ପର୍ଯ୍ୟନ୍ତ ରାସ୍ତାରେ ଶହଶହ ଭାରୀଯାନ ଅଟକି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେଉଛି।

ଏହା ମଧ୍ୟରେ କେତେକ ଅମାନିଆ ଭାରୀଯାନ ଚାଳକ ଧାଡ଼ିରେ ନରହି ଆଗକୁ ଯିବା ପାଇଁ ବିପଜ୍ଜନକ ଭାବେ ଓଭରଟେକ୍ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ଜାମରେ ଫସିଥିବା ଚାଳକମାନେ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଉଦ୍ଦେଶ୍ୟରେ ଅନ୍ୟ ଗାଡ଼ିକୁ ଅତିକ୍ରମ କରିବା ସମୟରେ ରାସ୍ତାରେ ଅବ୍ୟବସ୍ଥା ସୃଷ୍ଟି ହେଉଛି। କେତେକ ସମୟରେ ଭାରୀଯାନ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ସହ ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ରହୁଛି।

ଏଭଳି ଘଟଣା ଘଟିଲେ ଜାତୀୟ ରାଜପଥ ଉପରେ ଜାମ ଆହୁରି ଦୀର୍ଘ ହେଉଥିବାରୁ ଅନ୍ୟ ଚାଳକ ଓ ସାଧାରଣ ଲୋକେ ମଧ୍ୟ ହଇରାଣ ହେଉଛନ୍ତି। ଏଭଳି ପରିସ୍ଥିତିରେ ବଅଁରପାଳ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଅୟସକାନ୍ତ ଜେନା ଟ୍ରାଫିକ ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଅମାନିଆ ଭାବେ ୩୭ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ୧ ଲକ୍ଷ ୮ ହଜାର ଟଙ୍କା ଜୋରିମାନା କରାଯିବ ସହ ୧ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ପାଇଁ ସୁପାରିସ କରାଯାଇଛି।

ଏହି ପଦକ୍ଷେପ ପରେ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକ ତଥା ଶିଳ୍ପାଞ୍ଚଳ ରେ ଚାଲୁଥିବା ଯାତ୍ରୀବାହୀ ଚାଳକଙ୍କ ମନରେ ଚିନ୍ତା ବଢ଼ିଛି। ଓଡ଼ିଶା ପରିବହନ ବିଭାଗର ନିୟମ ଅନୁଯାୟୀ, ବିପଜ୍ଜନକ ଭାବେ ଗାଡ଼ି ଚଳାଇବା, ନିଷିଦ୍ଧ ସ୍ଥାନରେ ଓଭରଟେକ୍ କରିବା ଏବଂ ଯାତାୟାତର ସ୍ୱାଭାବିକ ପ୍ରବାହ ବିରୋଧରେ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ। ଏପରି କାର୍ଯ୍ୟ ଜନସାଧାରଣଙ୍କ ପାଇଁ ବିପଦ କିମ୍ବା ଅସୁବିଧା ସୃଷ୍ଟି କଲେ ଲାଇସେନ୍ସ ଅଯୋଗ୍ୟ କିମ୍ବା ବାତିଲ୍ କରିବାର ବ୍ୟବସ୍ଥା ମଧ୍ୟ ରହିଛି।
ବଅଁରପାଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଲାଗି ରହିଥିବା ଜାମ ଯୋଗୁଁ ଆମ୍ବୁଲାନ୍ସ, ଦୁଇଚକିଆ ଯାନ, ଛୋଟ ଗାଡ଼ି ଓ ଅନ୍ୟ ଜରୁରୀ ଯାନଗୁଡ଼ିକ ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଚାଳକମାନେ ଧୈର୍ଯ୍ୟର ସହ ଧାଡ଼ିରେ ଗାଡ଼ି ଚଳାଇବା ସହ ଓଭରଟେକ କରି ନିଜ ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ନପକାଇବା ଆବଶ୍ୟକ। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଗକୁ ମଧ୍ୟ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଥାନାଧିକାରୀ ଅୟସକାନ୍ତ ଜେନା କହିଛନ୍ତି l
