ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ସୁନାମଧନ୍ୟ ଦଣ୍ଡନୃତ୍ୟ କଳାକାର ତଥା ଗୁରୁଜାଙ୍ଗ ଗ୍ରାମର ଶ୍ରୀ ବିନୟ କୁମାର ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତ୍ତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ପରେ ଶବବ୍ୟବଚ୍ଛେଦ କ୍ୟାପିଟାଲ ହସ୍ପିଟାଲ ରେ କରାଯାଇଥିଲା ।

ସାରା ଜୀବନ ଅଭିନୟ ଏବଂ କଳା ମାଧ୍ୟମରେ ଲୋକଙ୍କୁ ହସାଇଥିବା, ମନୋରଞ୍ଜନ ଯୋଗାଇଥିବା ଓ ଯୁବ କଳାକାର ଙ୍କ ଆଦର୍ଶ ପାଲଟିଥିବା ଏହି ଦୁଃଖି ମଣିଷଟି, ଜୀବନର ଶେଷ ଶଯ୍ୟାରେ ମଧ୍ୟ ନିଜର ଅମୂଲ୍ୟ ସମ୍ପଦ ଆଖି ଦୁଇଟି ଦାନ କରି ଅନ୍ୟକୁ ଦୃଷ୍ଟିଶକ୍ତି ଦେଇଗଲେ। ତାଙ୍କ ଭାଇ ସୁଶାନ୍ତ ବେହେରା ଓ ତ୍ରିପୁର ବେହେରାଙ୍କ ଏହି ମହାନ ଓ ସହମତିପୂର୍ଣ୍ଣ ନିଷ୍ପତ୍ତି ବାସ୍ତବରେ ମାନବସେବାର ଏକ ଅନନ୍ୟ ଉଦାହରଣ ପାଲଟିଲା। ତେବେ ବିନୟ ଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲ ଅଣାଯାଉଥିବା ଖବର ପାଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ସେଠାରେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
