ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ପଞ୍ଚାୟତର ଶାଳଗାଡ଼ିଆ ଗ୍ରାମର ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ, ଶାଶୁ ଓ ଦୁଇ ନଣନ୍ଦଙ୍କ ବିରୋଧରେ ଯୌତୁକ ନିର୍ଯାତନା, ଗାଳିଗୁଲଜ, ମାଡ଼ମାରି ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ବଅଁରପାଳ ଥାନାରେ ଲିଖିତ ଏତଲା ଦେଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସ୍ୱର୍ଗତ ପ୍ରଶନ୍ନ ସେଠଙ୍କ ଝିଅଙ୍କ ସହ ଶାଳଗାଡ଼ିଆ ଗ୍ରାମର ସୁମନ୍ତ କୁମାର ସାମଲଙ୍କ ବିବାହ ୨୦୧୧ ମସିହାରେ ବୈଦିକ ରୀତିରେ ହୋଇଥିଲା। ବିବାହ ସମୟରେ ଯଥାରୀତି ଯାନିଯୌତୁକ ଦିଆଯାଇଥିଲେ ମଧ୍ୟ, ବିବାହର ଦୁଇ ବର୍ଷ ପରେ ଝିଅ ସନ୍ତାନ ଜନ୍ମ ହେବା ପରଠାରୁ ସ୍ୱାମୀ, ଶାଶୁ ଓ ଦୁଇ ନଣନ୍ଦ ତାଙ୍କୁ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଦେଇଆସୁଥିବା ମହିଳା ଅଭିଯୋଗ କରିଛନ୍ତି।ବାରମ୍ବାର ନିର୍ଯାତନା ସହିବା ପରେ ପ୍ରାୟ ତିନି ବର୍ଷ ହେବ ସେ ନିଜ ଝିଅକୁ ନେଇ ବାପଘରେ ରହୁଥିଲେ। ଏହି ସମୟରେ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିବା ଖବର ପାଇ ସେ ଗତ ୧୧ ତାରିଖରେ ଶାଶୁଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଘରେ ପ୍ରବେଶ କରିବାକୁ ଦିଆଯାଇନଥିବା ସହ ଗାଳିଗୁଲଜ, ଠେଲାଠେଲି କରାଯାଇଥିଲା ଏବଂ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ମହିଳା ୧୧୨କୁ ଫୋନ କରିବା ପରେ ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ତେବେ ସମାଧାନ ନ ହେବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବଅଁରପାଳ ଥାନାରେ ମାମଲା ନଂ ୫୯୪/୨୬ ରୁଜୁ ହୋଇଛି। ତଦନ୍ତ କାରୀ ଅଧିକାରୀ ଅମିତ ମିଶ୍ର ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।
