ପୋଲିସର ସେବା ମନୋଭାବ ଜନତାଙ୍କ ଭରସା ବଢ଼ାଇବ – ଧର୍ମେନ୍ଦ୍ର ପ୍ରଧାନ

• ‘ବଣ୍ଟନ ମେଳା’ ମାଧ୍ୟମରେ ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଏବଂ ବାଇକ୍ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯିବା ଜିଲ୍ଲା ପୋଲିସର ପ୍ରଶଂସନୀୟ ପଦକ୍ଷେପ
• ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବା ପୋଲିସର ସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି

ଅନୁଗୋଳ (୨୫ /୦୪/ ୨୦୨୬) – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୋଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ‘ବଣ୍ଟନ ମେଳା’ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ସେବା ଦିଗରେ ଏକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସମୟରେ ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଏବଂ ବାଇକ୍ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯାଇଛି । ଜନସାଧାରଣଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇବାରେ ପୋଲିସ ପ୍ରଶାସନର ଏହି ନିଷ୍ଠାପର ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବା ପୋଲିସର ସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ପରାଧୀନ ମାନସିକତାରୁ ବାହାରି ଏବେ ‘ଭାରତୀୟ ନ୍ୟାୟ ସଂହିତା’ର ସଫଳ କ୍ରିୟାନ୍ୱୟନ କରାଯାଉଛି । ଅନେକ ଦଶକ ପରେ ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଶାସନକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିପାରିଛି ।ଅନୁଗୋଳ ଜିଲ୍ଲା ପୋଲିସ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ବରଂ ନୂତନ ଆଇନ ପ୍ରୟୋଗ ଏବଂ ସାମାଜିକ ଦାୟିତ୍ୱବୋଧର ସମନ୍ୱୟ ରକ୍ଷା କରି ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି । ପୋଲିସ ପ୍ରଶାସନର ଏଭଳି ସକାରାତ୍ମକ କାର୍ଯ୍ୟଧାରା ସାଧାରଣ ଜନତାଙ୍କ ମନରେ ସୁରକ୍ଷା ଓ ଭରସାକୁ ଆହୁରି ଦୃଢ଼ୀଭୂତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରାଙ୍କ ସମେତ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
