• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬ ଅନୁଷ୍ଠିତ

Bymamatanews

Jan 10, 2026
Spread the love

ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ ସହଯୋଗରେ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ର ତୃତୀୟ ସଂସ୍କରଣ ଆୟୋଜିତ
• ବିଜେତାଙ୍କୁ ମୋଟ ୯.୪୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ
• ଅମର ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

  • ପଶ୍ଚିମବଙ୍ଗର ପଞ୍ଚାନନ ବେରା ଏବଂ ହରିୟାଣାର ଭାରତୀ ନୈନ୍ ଯଥାକ୍ରମେ ୨୧ କିଲୋମିଟର ପୁରୁଷ ଓ ମହିଳା ବର୍ଗରେ ବିଜେତ
  • ଏହି ଦୌଡ଼ରେ ପ୍ରଥମ ଥର ପାଇଁ ଭାଗନେଲେ ଋଷୀୟ ମହିଳା

ଢେଙ୍କାନାଳ, (୧୦.୦୧.୨୦୨୬) : ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍‌ର ମିଳିତ ସହଯୋଗରେ ଶନିବାର ‘ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ର ତୃତୀୟ ସଂସ୍କରଣ କପିଳାସ ପାହାଡର ପାଦ ଦେଶରେ ସଫଳତାର ସହ ସମ୍ପନ୍ନ ହୋଇଛି।

“ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଦୌଡ଼” ଆହ୍ୱାନ ସହ ଆୟୋଜିତ ଏହି ମାରାଥନ୍‌ରେ ଦେଶର ୧୪ଟି ରାଜ୍ୟରୁ ପ୍ରାୟ ୫,୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍‌କୁ ଧନ୍ୟବାଦ ଜଣାଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, “ଏହି ମାରାଥନ୍ କେବଳ ଫିଟ୍‌ନେସ୍ ପାଇଁ ନୁହେଁ ବରଂ ଜୈବ ବିବିଧତା ଏବଂ ବିଶେଷ କରି ହାତୀ ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ ଏକଜୁଟ୍ କରିବାକୁ ଏକ ଆହ୍ୱାନ। ଏହି ହାଫ୍ ମାରାଥନ୍ ମାଧ୍ୟମରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଟାଟା ଷ୍ଟିଲ୍‌ର ଏହି ପ୍ରୟାସ ପ୍ରଶଂସନୀୟ।”

ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, “ଏହି ଦୌଡ଼ ଯୁବପିଢ଼ିଙ୍କ ମଧ୍ୟରେ ‘ଫିଟ୍ ଇଣ୍ଡିଆ’ ପାଇଁ ଦାୟିତ୍ୱବୋଧ ଏବଂ ପ୍ରତିବଦ୍ଧତା ସୃଷ୍ଟି କରିବାରେ ସହାୟକ ହେବ। ଆଜିର ଏହି ହାଫ୍ ମାରାଥନ୍‌ରେ ଏତେ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଦେଖି ମୁଁ ବହୁତ ଖୁସି।”

ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପାଳ, (ଆଇଏଏସ୍) ଆଶିଷ ଈଶ୍ୱର ପାଟିଲ, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ (ଆଇପିଏସ) ଅଭିନବ ସୋନକIର, ଢେଙ୍କାନାଳ ବନଖଣ୍ଡ ଅଧିକାରୀ (ଆଇ ଏଫ୍ଏସ୍) ସୁମିତ କୁମାର କର, ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଡି.ବି. ସୁନ୍ଦର ରାମମ୍, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ର ଅପରେସନ୍ସ ଉପାଧ୍ୟକ୍ଷ ସୁଧୀର କୁମାର ମେହେତା ଏବଂ ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡର ସିଇଓ ସନ୍ଦୀପ ଧୀର ଉପସ୍ଥିତ ଥିଲେ।

ଏଥର ଏହି ଦୌଡ଼ରେ ପ୍ରଥମ ଥର ପାଇଁ ସେଣ୍ଟ ପିଟର୍ସବର୍ଗର ଏଲିନା ଟରସୋଭା ନାମକ ଜଣେ ଋଷିୟ ମହିଳା ଭାଗନେଇଥିଲେ।

ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଡି.ବି. ସୁନ୍ଦର ରାମମ୍ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, “ବନ୍ୟଜନ୍ତୁ ସୁରକ୍ଷା ପରବର୍ତ୍ତୀ ପିଢ଼ି ପାଇଁ ଆମର ଏକ ଦାୟିତ୍ୱ। ଏହି ମାରାଥନ୍ ଜୈବ ବିବିଧତା ରକ୍ଷା ପାଇଁ ଏକ ସମୂହ ପ୍ରୟାସ। ଏଥିସହ ଭାରତର ସର୍ବକନିଷ୍ଠ ଅମର ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଆମେ ଦେଶ ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ।”

ଏହି ଦୌଡ଼ର ୨୧ କିଲୋମିଟର ପୁରୁଷ ବର୍ଗରେ ପଶ୍ଚିମବଙ୍ଗର ପଞ୍ଚାନନ ବେରା ଏବଂ ମହିଳା ବର୍ଗରେ ହରିୟାଣାର ଭାରତୀ ନୈନ୍ ବିଜେତା ହୋଇ ₹୧ଲକ୍ଷ ଲେଖାଏଁ ପୁରସ୍କାର ରାଶିର ଚେକ୍ ଗ୍ରହଣ କରିଛନ୍ତି।

ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପାଧ୍ୟକ୍ଷ ସୁଧୀର କୁମାର ମେହେତା କହିଛନ୍ତି ଯେ, “କପିଳାସ ହାଫ୍ ମାରାଥନ୍ ଆମକୁ ମନେ ପକାଇ ଦିଏ ଯେ ବନ୍ୟପ୍ରାଣୀ ଏବଂ ପରିବେଶର ସୁରକ୍ଷା ପାଇଁ ସମୂହ ପ୍ରଚେଷ୍ଟା ଜରୁରୀ।”

ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ମାନର କରିବା ପାଇଁ ଏଥିରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇଥିଲା। ଏଥିରେ ଟାଇମିଂ ମ୍ୟାଟ୍ସ ରେଡିଓ ଫ୍ରିକୁଏନ୍ସି ଚିପ୍ସ, ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍ସ, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱାର୍କ ଉପଯୋଗ କରାଯାଇଥିଲା। ଏହି ଦୌଡ଼ ପଥକୁ ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ ମାରାଥନ୍ସ ଆଣ୍ଡ ଡିଷ୍ଟାନ୍ସ ରେସେସ୍ (ଏଆଇଏମ୍ଏସ୍) ଦ୍ୱାରା ପ୍ରମାଣିତ କରାଯାଇଛି, ଯାହା ବିଶ୍ୱବ୍ୟାପୀ ମାରାଥନ୍ ଆୟୋଜନ କରୁଥିବା ଏକ ପ୍ରମୁଖ ଆନ୍ତର୍ଜାତିକ ସଂସ୍ଥା। ଦେଶର ବିଭିନ୍ନ ସ୍ଥାନରେ ଏଭଳି ବଡ଼ ଧରଣର ଦୌଡ଼ ପ୍ରତିଯୋଗିତା ଆୟୋଜନ କରୁଥିବା ଜାତୀୟସ୍ତରର ସଂସ୍ଥାଗୁଡ଼ିକ ଏହାର ତଦାରଖ କରିଥିଲେ।

ଏହି ହାଫ୍ ମାରାଥନ୍‌ରେ ଅଞ୍ଚଳର ଅନ୍ୟ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ସେଗୁଡ଼ିକ ମଧ୍ୟରେ ଏମଜିଏମ୍ ମିନେରାଲସ, ନଭ ଲିମିଟେଡ, ଖେମକା ରିଫ୍ରାକଟୋରିଜ, ଆଇନକ୍ସ ଏୟାର ପ୍ରଡକ୍ଟସ୍, ଟାଟା ୱାନ ଏମଜି, ଟାଟା ଷ୍ଟିଲ ଟେକନିକାଲ ସର୍ଭିସେସ ଲିମିଟେଡ, ଟାଟା ଷ୍ଟିଲ ସାପୋର୍ଟ ସର୍ଭିସେସ ଲିମିଟେଡ, ଟାଟା ଗ୍ଲୁକୋ ସ୍ପୋର୍ଟସ, ଟାଟା କପର, ଟାଟା ବ୍ଲୁସ୍କୋପ୍ ଷ୍ଟିଲ, ଟିଏମ ଇଣ୍ଟରନ୍ୟାସନାଲ ଲଜିଷ୍ଟିକ ଲିମିଟେଡ, ଏବଂ ଯାମିପୋଲ ଭଳି ସଂସ୍ଥାଗୁଡ଼ିକ ସହଭାଗୀ ହୋଇଛନ୍ତି। ଏହାବ୍ୟତୀତ, ପ୍ରତିଷ୍ଠିତ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଛାତ୍ରଛାତ୍ରୀମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ମେଗା ଇଭେଣ୍ଟର ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *