• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟାଟା ଷ୍ଟିଲ ୟାଟସ୍ ରେ ଢେଙ୍କାନାଳ ଓ ତାଳଚେରର ଛାତ୍ରଛାତ୍ରୀଙ୍କ ବାଜିମାତ, କରିବେ ଇସ୍ରୋ ଭ୍ରମଣ

Bymamatanews

Jan 16, 2026
Spread the love

ଶ୍ରେଷ୍ଠ ୩୦ ବିଜେତାଙ୍କ ମଧ୍ୟରେ ଢେଙ୍କାନାଳର ଆୟୁଷୀ ଓ ଶତାକ୍ଷୀ ଏବଂ ତାଳଚେରର ଓମ୍ ପ୍ରକାଶ

ଢେଙ୍କାନାଳ : ଢେଙ୍କାନାଳ ଏବଂ ତାଳଚେର ଅଞ୍ଚଳର ୩ ଜଣ ବିଦ୍ୟାର୍ଥୀ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ ( ୟାଟସ୍) ୨୦୨୫-୨୬ରେ ଭାଗ ନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହ ନିଜ ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି। କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୭୫ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଢେଙ୍କାନାଳ ଏବଂ ତାଳଚେର ଅଞ୍ଚଳର ୩ ଜଣ କୃତୀ ଛାତ୍ରଛାତ୍ରୀ ଶ୍ରେଷ୍ଠ ୩୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ସଫଳତା ସହ ସେମାନେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଦର୍ଶନ କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇପାରିଛନ୍ତି।

ଢେଙ୍କାନାଳ ଜିଲ୍ଲାରୁ ଦୁଇଜଣ ଛାତ୍ରୀ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଛାତ୍ରୀ ଆୟୁଷୀ ସାମଲ ଏବଂ ଜିଏମଆର ବରାହଲକ୍ଷ୍ମୀ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଶତାକ୍ଷୀ ଦ୍ୱିବେଦୀ ଓ ତାଳଚେର ପଶ୍ଚିମାଞ୍ଚଳ ସରକାରୀ ହାଇସ୍କୁଲ, ପଡ଼ିଆଭଙ୍ଗାର ଦଶମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ବେହେରା ଏହି କୃତିତ୍ଵ ଲାଭ କରିଛନ୍ତି।

ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ତଥା ପିତା- ପ୍ରଶାନ୍ତ କୁମାର ସାମଲ, ମାତା- ବିସ୍ମିତା ସାମଲଙ୍କ ସୁକନ୍ୟା ଛାତ୍ରୀ ଆୟୁଷୀ ସାମଲ କହିଛନ୍ତି ଯେ, ୟାଟସ୍ ତାଙ୍କର ମହାକାଶ ବିଜ୍ଞାନ ପ୍ରତି ଆଗ୍ରହକୁ ଦ୍ୱିଗୁଣିତ କରିଛି। ଭବିଷ୍ୟତରେ ଭାରତର ମହାକାଶ ଅଭିଯାନରେ ଯୋଗଦେବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଜିଏମଆର ବରାହଲକ୍ଷ୍ମୀ ଡିଏଭି ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶତାକ୍ଷୀ ଦ୍ୱିବେଦୀ (ପିତା- ସମ୍ବିତ ଦ୍ୱିବେଦୀ, ମାତା- ସାନ୍ତ୍ୱନା ଶତପଥୀ) କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ତାଙ୍କୁ ପାଠ ପଢା ବ୍ୟତୀତ ଅନ୍ୟ କିଛି ଚିନ୍ତା କରିବାକୁ ପ୍ରେରଣା ଦେଇଛି। ଇସ୍ରୋ ଭ୍ରମଣ ତାଙ୍କୁ ପ୍ରତିରକ୍ଷା ଗବେଷଣା ଏବଂ ବିଜ୍ଞାନ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।

ତାଳଚେର ପଶ୍ଚିମାଞ୍ଚଳ ସରକାରୀ ହାଇସ୍କୁଲ, ପଡ଼ିଆଭଙ୍ଗାର ଦଶମ ଶ୍ରେଣୀ ଛାତ୍ର ତଥା ପିତା- ନିଳାମ୍ବର ବେହେରା ଓ ମାତା- ଜୟନ୍ତୀ ବେହେରାଙ୍କ ପୁତ୍ର ଓମ୍ ପ୍ରକାଶ ବେହେରା କହିଛନ୍ତି, ଇସ୍ରୋ ପରିଦର୍ଶନ ପାଇଁ ସୁଯୋଗ ମିଳିବା ଯେମିତି ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି।

ଏ ବର୍ଷ ଓଡ଼ିଶାର ପ୍ରାୟ ୭୬,୭୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ୪.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିବାବେଳେ ୨୩୦ରୁ ଅଧିକ ବିଜେତା ଇସ୍ରୋ ଭ୍ରମଣ କରିବାର ସୁଯୋଗ ପାଇଛନ୍ତି।

Leave a Reply

Your email address will not be published. Required fields are marked *