• Sun. Mar 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପରିକ୍ଷା କେନ୍ଦ୍ର ନିକଟରେ ସଭାସ୍ଥଳୀ ଦୃଷ୍ଟିରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ- ଜିଲ୍ଲା କଂଗ୍ରେସ ସଭାପତି

Bymamatanews

Mar 1, 2026
Spread the love

ଅନୁଗୋଳ: ଆଜି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଏନସିଇଆରଟି ପକ୍ଷରୁ ପ୍ରକାଶିତ ବିବାଦୀୟ ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ଦେଶର ନ୍ୟାୟପାଳିକାକୁ ନିନ୍ଦିତ କରାଯାଇଛି, ତାହାକୁ କେନ୍ଦ୍ର ମନ୍ତ୍ରୀ ହାଲୁକା ଭାବେ ଗ୍ରହଣ କରି ତଳ ତଳିଆଙ୍କ ଉପରେ ଦୋଷ ଲଦି ଖସି ଯିବାକୁ ଚାହୁଁଛନ୍ତି୍। ଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ତାଙ୍କରି ତତ୍ବାବଧାନରେ କୋମଳମତୀ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଭବିଷ୍ୟତ ଗଢିବେ। କିନ୍ତୁ ମନ୍ତ୍ରୀ ନିଜ ମୁଣ୍ଡରୁ ଦୋଷ ଖସାଇ ସାଧାରଣରେ ନିଜକୁ ନିଷ୍କଣ୍ଟକ ବୋଲି ଭାବୁଛନ୍ତି। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ଚ୍ୟାମ୍ବର ଅଫ କମର୍ସର ସୁବର୍ଣ୍ଣ ବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ସ୍ଥାନୀୟ ବିଜୁ ମଇଦାନଠାରେ କାର୍ଯ୍ୟକ୍ରମ ଥିଲା ଓ ଉକ୍ତ କାର୍ଯ୍ୟକ୍ରମ ସ୍ଥଳଠାରୁ ମାତ୍ର ୨୫ ମିଟର ଦୂରରେ ରୋଟାରୀ ପବ୍ଲିକ ସ୍କୁଲରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛତ୍ରଛାତ୍ରୀଙ୍କ ପରୀକ୍ଷା ସେହି ସମୟରେ ଚାଲୁଥିଲା। ସମାରୋହ ସ୍ଥଳରେ ଡାକବାଜୀ ଯନ୍ତ୍ରର କର୍କଶ ସ୍ବର ଛାତ୍ର ଛାତ୍ରୀ ମାନଙ୍କ ମନକୁ ଆନ୍ଦୋଳିତ କରିଥିଲା, ଫଳରେ ଅବିଭାବକମାନେ ଡାକବାଜୀ ଯନ୍ତ୍ର ବନ୍ଦ କରିବାକୁ ଆୟୋଜକ ଓ ପ୍ରଶାସନ ପାଖରେ ଦାବି ରଖିଥିଲେ। ପୋଲିସ କାର୍ଯ୍ୟକ୍ରମ କୁ ପରୀକ୍ଷା ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରୀକ୍ଷା ଶେଷ ହେବାକୁ କିଛି ସମୟ ପୂର୍ବରୁ ପ୍ରାୟ ଏକ ଘଟିକା ସମୟରେ ପୁଣି ଡାକବାଜୀ ଯନ୍ତ୍ର ବାଜିଥିଲା ଓ ବାଣ ବାଜାରେ ସେ ସ୍ଥାନ ମୁଖରିତ ହୋଇଥିଲା। କୋମଳମତୀ ଛାତ୍ରଛାତ୍ରୀ ପରୀକ୍ଷାର ଶେଷ ବେଳକୁ ଡାକବାଜୀ ଯନ୍ତ୍ର, ବାଣ ଓ ବାଜାରେ ନିଜ ନିଜର ପାଠ ଭୁଲିଯାଇ ଅସମ୍ପୂର୍ଣ୍ଣ ଖାତା ପରୀକ୍ଷକଙ୍କ ହାତକୁ ବଢାଇ ଦେଇଥିଲେ। ଆଜିର ଏ ଅବ୍ୟବସ୍ଥା କାହା ନିର୍ଦ୍ଦେଶରେ ହୋଇଥିଲା। ପାଖରେ ସ୍କୁଲ ଅଛି ସେ କଥାକୁ ବିଚାର ନ କରି କିଭଳି ଅନୁମତି ପ୍ରଦାନ କରିଥିଲେ ପ୍ରଶାସନ ? ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ମଣ୍ଡନ କରି କିଭଳି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନ ଦେଖି ସଭାରେ ଯୋଗ ଦେବାକୁ ବ୍ୟାକୁଳ ହେଲେ, ଏସବୁ ତଦନ୍ତ ହେବା ଆବଶ୍ୟକ ଓ ଏଥିରେ ଯେକେହି ଦୋଷୀ ହୁଅନ୍ତୁ ନା କହିଁକି, ତାଙ୍କ ପ୍ରତି ଦୃଠ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ଦାବି କରୁଛି ବୋଲି ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତା ତପନ ପ୍ରଧାନ, ରୂପାଦୀପ୍ତା ମହାପାତ୍ର, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ସନ୍ତୋଷ ପଟ୍ଟନାୟକ, ସୁଦୀପ ମିଶ୍ର, ସଞ୍ଜୀବ ମାଣ୍ଡୋଠିଆ,ବିନୋଦ ମାଝୀ, ରାକେଶ ମିଶ୍ର, ରଶ୍ମି ରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ସାହୁ, ସରୋଜ ସତପଥି,ମାନୀନୀ ପ୍ରଧାନ, ସଂଗ୍ରାମ ବେହେରା, ଅଶୋକ ନାଏକ, ଅବିନାଶ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *