ଅନୁଗୋଳ (୧୯/୦୩/୨୦୨୬ : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର , ବାଳାଶ୍ରମ, ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ବଅଁରପାଳ ଆଶ୍ରମ ସ୍କୁଲ, ଅନୁଗୋଳ ଜୁଭେନାଇଲ ଅବଜରଭେସନ ହୋମ୍, ଉତ୍କଳ ବାଳାଶ୍ରମ ପରିଦର୍ଶନ କରିଥିଲେ। ଏହି ସମୟରେ ହିଙ୍ଗୁଳା ମନ୍ଦିର ନିକଟରୁ ଭିକ୍ଷାବୃତ୍ତି କରୁଥିବା ୨ଜଣ ଶିଶୁକୁ ଉଦ୍ଧାର କରାଯାଇଥିଲା। ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ ଅଖତର ପୁଷ୍ପଗୁଚ୍ଛ ଦେଇ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ଶିଶୁଗୃହ, ବାଳାଶ୍ରମ, କନ୍ୟାଶ୍ରମ ଓ ଆଦୃତ ଗୃହଗୁଡ଼ିକରେ ଥିବା ଶିଶୁ କିଭଳି ସରକାରୀ ଯୋଜନାରେ ଉପକୃତ ହେଉଛନ୍ତି ସେ ବିଷୟରେ ଆଲୋଚନା ହୋଇଥିଲା । ବାଲ୍ୟ ବିବାହ, ବାଲ୍ୟ ଭିକ୍ଷୁ, ଶିଶୁ ଶ୍ରମିକ, ବେଆଇନ ଶିଶୁବିକ୍ରିକୁ ରୋକିବା ନିମନ୍ତେ ଉଚିତ୍ ପଦକ୍ଷେପ ନେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ସେହିଭଳି ଛତୁଆ କେନ୍ଦ୍ର ମାନଙ୍କରେ ଲାଗିଥିବା ସିସଟିଭିଗୁଡିକୁ ଜିଲ୍ଲା କାର୍ଯ୍ୟାଳୟ ସହ ସେଣ୍ଟ୍ରାଲାଇଜଡ୍ କରିବାକୁ ପରାମର୍ଶ ଦେଇଥିଲେ। ଆବାସିକ ବିଦ୍ୟାଳୟଗୁଡିକରେ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ସହ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ନିରୂପମା ପାଣି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
