୫୫ ନମ୍ବର ଜାତୀୟ ରାଜପଥ ଖରା ରେ ସୀଜୁଛନ୍ତି ଟ୍ରାଫିକ୍ ସୁରକ୍ଷା କର୍ମୀ
ଅନୁଗୋଳ: ଆଗକୁ ଆସିଲାଣି ଗ୍ରୀଷ୍ମ ଋତୁ, ଖରା ଆରମ୍ଭରୁ ଖରାର ପ୍ରକୋପ କଷ୍ଟ ଦାୟକ ଦେଲାଣି । ଏମିତି ତୀବ୍ର ଖରା ମଧ୍ୟରେ ମଧ୍ୟ ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି । ସଡ଼କରେ ଗାଡ଼ି ଚଳାଚଳ ସୁଚାରୁ ଭାବେ ଚାଲିବା ପାଇଁ ସେମାନେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ଦଣ୍ଡାୟମାନ ରହି କାମ କରୁଛନ୍ତି । ଅନୁଗୋଳ ସହର ମଧ୍ୟରେ ବିଭିନ୍ନ ଛକ ମାନଙ୍କରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ପିଟିସ ସ୍ଥିତ ରାଜ ହୋଟେଲ ଛକଠାରେ ଥିବା ଟ୍ରାଫିକ ପୋଷ୍ଟ ନଥିବାରୁ ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ମାନେ ଖରାରେ ଠିଆ ହୋଇ ଗୋଟିଏ ହାତରେ ଛତା ଧରି ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହା ଜଣେ ଟ୍ରାଫିକ ପୋଲିସ ପାଇଁ କଷ୍ଟ ଦାୟକ ନିଶ୍ଚିନ୍ତ । ସେହିପରି ଥାନା ଛକ , ହୁଲୁରସିଙ୍ଗା ଛକରେ ଟ୍ରାଫିକ ପୋଷ୍ଟ ଥିଲେ ମଧ୍ୟ ସେଠାରେ ମଧ୍ୟ ଟ୍ରାଫିକ ପୋଲିସ ମାନେ ଖରାରେ ଠିଆ ହୋଇ କାର୍ଯ୍ୟ କରୁଛନ୍ତି । ଦିନକୁ ଦିନ ସୂର୍ଯ୍ୟର ତୀବ୍ର ତାପ ବଢ଼ିଲେ ମଧ୍ୟ ସେମାନେ ନିଜ ଦାୟିତ୍ୱକୁ କେବେ ଅବହେଳା କରନ୍ତି ନାହିଁ । ଗରମ ପବନ, ଧୂଳି, ଧୁଆଁ ମଧ୍ୟରେ ସେମାନେ ଗାଡ଼ିକୁ ନିୟନ୍ତ୍ରଣ କରି ଦୁର୍ଘଟଣା ରୋକିବାରେ ଚେଷ୍ଟା କରନ୍ତି । ତେବେ ଶିଳ୍ପର ସହର ଅନୁଗୋଳ କୋଟି କୋଟି ରାଜସ୍ବ ଦେଉଥିବା ବେଳେ ନିଜର ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ସଜାଡି ପାରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ସୌନ୍ଦର୍ଯ୍ୟ କରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜିଲ୍ଲା ପ୍ରଶାସନ , ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ନ ସଜାଡ଼ିବା ନିନ୍ଦନୀୟ ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ । ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ସଜାଡିବାକୁ ପଦକ୍ଷେପ ନେଉଛି ।
୫୫ ନମ୍ବର ଜାତୀୟ ରାଜପଥ ଖରା ରେ ସୀଜୁଛନ୍ତି ଟ୍ରାଫିକ୍ ସୁରକ୍ଷା କର୍ମୀ
