• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହାନଦୀ କୂଳ ଗାଁ ଲୋକଙ୍କୁ ଚୁଆ ପାଣି ଭରଷା

Bymamatanews

Jun 1, 2026
Spread the love

ସ୍ଥାୟୀ ସମାଧାନ ମିଳିବ କେବେ

ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ମହାନଦୀର ସାତକୋଶିଆ ଗଣ୍ଡ। ଏହି ଗଣ୍ଡରେ ଭରି ରହିଛି ଅକାତକାତ ପାଣି। କିନ୍ତୁ ନଦୀକୂଳ ଗାଁର ଅଧିବାସୀମାନେ ପାନୀୟଜଳ ପାଇଁ ସାରା ବର୍ଷ ହନ୍ତସନ୍ତ ହେଉଛନ୍ତି। ପିଇବା ପାଇଁ ଗୋଟେ କିଲୋମିଟର ଦୂର ରୁ ଏକ ନାଳରୁ ସେମାନ ଙ୍କୁ ପାଣି ବୋହି ଆଣିବାକୁ ପଡୁଛି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଏମିତି ଗାଁ ହେଉଛି ଟିକରପଡ଼ା ପଞ୍ଚାୟତର କରଡ଼ାପଡ଼ା। ମିଳିଥିବା ଖବର ଅନୁସାରେ ଅନୁଗୁଳ ବ୍ଲକର ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଦେଖା ଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନଦୀ ନାଳ, କୂଅ ଶୁଖିଲା ପଡିଛି।

ଫଳରେ ନିର୍ଘାତ ଖରାରେ ମହିଳା ମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ସାତକୋଶିଆ ଅଭୟାରଣ୍ୟରେ ମହାନଦୀ ଗଣ୍ଡ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି କରଡ଼ାପଡ଼ା ଗାଁ। ଏହି ଗାଁରେ ୧୨୫ ଘର ଘର ଥିବା ବେଳେ ଜନସଂଖ୍ୟା ୬୫୦। ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ପ୍ରାୟ ୭ ବର୍ଷ ତଳେ ପ୍ରକଳ୍ପ ନିର୍ମାଣ କରାଯାଇଛି। ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯିବା ସହ ପାଇପ୍ ବିଛାଯାଇଛି। କିନ୍ତୁ ସେଥିରୁ ନିୟମିତ ଭାବେ ପାଣି ମିଳୁନାହିଁ। ପାଇପ୍‌ରେ ଦିନେ ପାଣି ଆସିଲେ ଦଶଦିନ ବନ୍ଦ ରହୁଛି। ଗାଁରେ ୫ରୁ ଉର୍ଦ୍ଧ୍ବ ନଳକୂପ ଖୋଳା ଯାଇଥିଲା। କିନ୍ତୁ ପାଣି ବାହାରିଲା ନାହିଁ ବୋଲି ନଳକୂପରୁ ଯନ୍ତ୍ରାଂଶ ଚୋରୀ କରି ନେଲେ ଚୋର । । ଏହି ଗାଁରେ ତିନୋଟି ଖୋଲାକୂଅ ମଧ୍ୟରୁ ଗୋଟିଏ କୂଅରେ ପାଣି ରହୁଥିବାବେଳେ ଦୁଇଟି କୂଅ ଶୁଖିଲା ପଡିଛି। ଫଳରେ ଗ୍ରାମବାସୀମାନେ ବାଧ୍ୟହୋଇ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ନାଳରେ ଚୁଆ ଖୋଳି ପାନୀୟଜଳ ସଂଗ୍ରହ କରୁଛନ୍ତି। ସେହି ନାଳରେ ସ୍ନାନଶୌଚ ହେଉଛନ୍ତି। ସେଠାରୁ ମୁଣ୍ଡରେ ପାଣି ଆଣିବା ପରେ ଘରେ ରୋଷେଇ ହେଉଛି । ପାଣିପାଇଁ ସେମାନେ ବର୍ଷସାରା ଦହଗଞ୍ଜ ହେଉଛନ୍ତି | ବସୁଧା ଯୋଜନା ରୁ ପ୍ରାୟ ୧୦ ଦିନରେ ଥରେ ପାଣିମୁନ୍ଦେ ମିଳୁଛି । ଏହି ପାଣି ବିଶୁଦ୍ଧ ହୋଇ ନଥିଲେ ବି ଅନ୍ୟ ଉପାୟ ନଥିବାରୁ ତାହାକୁ ବ୍ୟବହାର କରୁଛନ୍ତି। ଗାଁରେ ପାନୀୟ ଜଳ ଅଭାବ ଥିବାରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ରହିଛି। କିନ୍ତୁ ଉକ୍ତ ଟ୍ୟାଙ୍କରରେ ମଧ୍ୟ ଦିନେ ପାଣି ଦେଲେ ଦୁଇ ଦିନ ବନ୍ଦ ରହୁଛି। ଯେଉଁ ଗୋଟିଏ ଦିନ ପାଣି ଦେଉଛି ଅଧା ଲୋକ ପାଣି ପାଉ ନାହାଁନ୍ତି। ଖୁବ୍ ଶୀଘ୍ର ଲୋକଙ୍କୁ ପାଣି ଯୋଗାଇ ଦେବା ପାଇଁ ଚିତ୍ତରଞ୍ଜନ କର୍ମୀ, ସୁବୋଧ ସାମଲ, ଚନ୍ଦ୍ରମଣି ଜେନା, ଚୈତନ୍ୟ ସାହୁ, ଗୋବର୍ଦ୍ଧନ ସାହୁ, ଭାବଗ୍ରାହୀ ସାହୁ, ପ୍ରଭାକର ସାମଲ , ରଞ୍ଜନ ପ୍ରଧାନ, ସଙ୍ଖାଳି ନାହାକ, ମହର୍ଗା ଦଳବେହେରା, ଜ୍ଞାନ ଦଳବେହେରା, ଭଜମନ ପ୍ରଧାନ, ନୀଳା ବେହେରା, କାଞ୍ଚନ ବେହେରା, ବିଳାସ ବେହେରା, ସୁମିତ୍ରା ସମଲ, ମଞ୍ଜୁଲତା ପ୍ରଧାନ, ଇନ୍ଦୁ ଭୋଇ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!